ହ୍ରଦ ପାଣି ପାଲଟିଲା ବରଫ

ହ୍ରଦ ପାଣି ପାଲଟିଲା ବରଫ


ମେଟ୍ରୋ ଟିଭି ବ୍ୟୁରୋ,୧୯/୧୨; ସାରା ଦେଶରେ ଏବେ ଶୀତର ପ୍ରକୋପ ଜାରି ରହିଛି। ପୂରା ଉତ୍ତର ଭାରତରେ ଏହି ସମୟରେ ହାଡ଼ଭଙ୍ଗା ଶୀତ ଅନୁଭୂତ ହେଉଛି। ଏହାରି ଭିତରେ ଲାହୌଲ ସ୍ପୀତିର କିଛି ଅଞ୍ଚଳରେ ତାପମାତ୍ରା ଶୂନ୍ୟରୁ ମାଇନସ୍ ୧୨ ଡିଗ୍ରୀ ସେଲସିୟସରେ ଚାଲିଛି। ପାରଦ ତଳକୁ ଖସି ଆସିବା କାରଣରୁ ସିସୁ ହ୍ରଦ ମଧ୍ୟ ଫ୍ରିଜ୍ ହୋଇଯାଇଛି। ଲାହୌଲ ସ୍ପୀତିରେ ପ୍ରବଳ ତୁଷାରପାତ ହେଉଛି। ଏହି କାରଣରୁ ହିମାଚଳ ପ୍ରଦେଶର ଅଧିକାଂଶ ଅଞ୍ଚଳରେ ତାପମାତ୍ରା ଶୂନ ଡିଗ୍ରୀ ସେଲସିୟସ କିମ୍ବା ଏହା ତଳକୁ ଖସି ଆସିଛି। ଏଥିରେ କିନ୍ତୁ ପର୍ଯ୍ୟଟକମାନେ ବହୁତ ଖୁସି ହୋଇ ଯାଇଛନ୍ତି। ସେମାନେ ଏଠାକାର ପାଗକୁ ବେଶ୍ ଉପଭୋଗ କରୁଛନ୍ତି।
ଖ୍ରୀଷ୍ଟମାସ ପୂର୍ବରୁ ହୋଇଥିବା ତାଜା ତୁଷାରପାତ ଯୋଗୁ ମନାଲିର ପାଗ ଆନନ୍ଦଦାୟକ ହୋଇଯାଇଛି। ଲାହୌଲ ସ୍ପୀତିରେ ଥିବା ସିସୁ ହ୍ରଦ ବରଫ ପାଲଟି ଯାଇଛି। ଏଠାରେ ମଧ୍ୟ ତୁଷାରପାତ ହୋଇଛି। ଭାରତ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ଯେ ଆସନ୍ତା ୩ରୁ ୪ ଦିନ ମଧ୍ୟରେ ପାରଦ ଆହୁରି ତଳକୁ ଖସି ଯାଇପାରେ। ହିମାଚଳ ପ୍ରଦେଶର ସିସୁ ହ୍ରଦ ଏହି ସମୟରେ ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥାଏ। ବହୁ ସଂଖ୍ୟକ ପର୍ଯ୍ୟଟକ ଏଠାକାର ସୁନ୍ଦର ଦୃଶ୍ୟ ଉପଭୋଗ କରିବା ପାଇଁ ଆସି ଥାଆନ୍ତି। ମନାଲିରୁ ରୋହତାଙ୍ଗ ମଧ୍ୟରେ ଗୁଲାବା ନିକଟସ୍ଥ ଏକ ନାଳ ମଧ୍ୟ ସମ୍ପୂର୍ଣ୍ଣ ଭାବେ ଜମି ଯାଇଛି।

Leave a Reply

%d bloggers like this: