୨୦୦ କୋଟି ଠକେଇ ମାମଲା, ବିମାନ ବନ୍ଦରରେ ଅଟକ ହେଲେ ଜ୍ୟାକଲିନ

Jacqueline Fernandez detained at mumbai airport over 200 cr extortion case

୨୦୦ କୋଟି ଠକେଇ ମାମଲା, ବିମାନ ବନ୍ଦରରେ ଅଟକ ହେଲେ ଜ୍ୟାକଲିନ


ମେଟ୍ରୋ ଟିଭି ବ୍ୟୁରୋ, ୦୪/୧୨: ମୁମ୍ବାଇ ବିମାନବନ୍ଦରରେ ହଟହଟା ହେଲେ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ୍ । ବିମାନବନ୍ଦରରେ ତାଙ୍କୁ ଅଟକ ରଖିବା ପରେ ଛାଡିଦେଇଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । କେବଳ ସେତିକି ନୁହେଁ ଏମିତିକି ବିଦେଶ ଯିବାକୁ ବି ଅନୁମତି ମିଳିଛି । ସେ ଦୁବାଇରେ ଏକ ଶୋ’ରେ ଯୋଗଦେବାକୁ ଯାଉଥିଲେ । କୁଖ୍ୟାତ ଠକ ସୁକେଶ ଚନ୍ଦ୍ରଶେଖରଙ୍କ ସହ ତାଙ୍କର ଲିଙ୍କ୍ ଜଣାପଡିବା ପରେ ତାଙ୍କୁ ଅଟକ ରଖାଯାଇଥିଲା । ପୂର୍ବରୁ ଜ୍ୟାକଲିନ୍‌ଙ୍କ ବିରୋଧରେ ଲୁକ୍ ଆଉଟ୍ ନୋଟିସ୍ ଜାରି କରାଯାଇଥିଲା ।
ସେ ଦୁବାଇ ଯିବା ଲାଗି ବିମାନବନ୍ଦରରେ ପ୍ରସ୍ତୁତ ହେଉଥିଲା ବେଳେ ତାଙ୍କୁ ଜଣେ ଇମିଗ୍ରେସନ ଅଧିକାରୀ ଅଟକାଇଥିଲେ । ତାଙ୍କ ବିରୋଧରେ ଇଡି ପକ୍ଷରୁ ଲୁକ୍ ଆଉଟ ନୋଟିସ୍ ଜାରି କରାଯାଇଥିବା ସୂଚନା ଦିଆଯାଇଥିଲା । ଏଥିସହ ସମ୍ପୃକ୍ତ ଅଧିକାରୀ ଜଣକ ଇଡିକୁ ସୂଚନା ଦେଇଥିଲେ । ଇଡି ଅଧିକାରୀମାନେ ପହଞ୍ଚି ତାଙ୍କୁ ସେଠାରୁ ଘରକୁ ଫେରାଇ ଦେଇଥିଲେ ।
୨୦୦ କୋଟି ଟଙ୍କାର ମନି ଲଣ୍ଡରିଂ ମାମଲାରେ ଚନ୍ଦ୍ରଶେଖର ଓ ଅନ୍ୟମାନଙ୍କ ବିରୋଧରେ ଇଡି ପକ୍ଷରୁ ଦିଲ୍ଲୀ କୋର୍ଟରେ ଚାର୍ଜସିଟ୍ ଦାଖଲ ହୋଇଛି । ତିହାର ଜେଲ୍‌ରେ ଥିବା ବେଳେ ଜଣେ ବ୍ୟବସାୟୀଙ୍କ ପତ୍ନୀଙ୍କ ଠାରୁ ଚନ୍ଦ୍ରଶେଖର ୨୦୦ କୋଟି ଟଙ୍କା ଠକି ନେଇଥିବାର ଅଭିଯୋଗ ହୋଇଛି । ଚନ୍ଦ୍ରଶେଖରଙ୍କ ସହିତ ଜ୍ୟାକଲିନ୍‌ଙ୍କ ଆର୍ଥିକ କାରବାର ହୋଇଥିବାର ଇଡି ତଦନ୍ତରୁ ଜାଣିବାକୁ ପାଇଥିଲା ।
ଏପରିକି ଜ୍ୟାକଲିନଙ୍କୁ ୧୦ କୋଟି ଟଙ୍କାର ବିଭିନ୍ନ ଉପହାର ମଧ୍ୟ ଚନ୍ଦ୍ରଶେଖର ଦେଇଛନ୍ତି । ଏହି ଉପହାର ମଧ୍ୟରେ ରହିଛି ୫୨ ଲକ୍ଷ ଟଙ୍କାର ଏକ ଘୋଡା ଓ ୯ ଲକ୍ଷ ଟଙ୍କାର ଏକ ପର୍ସିଆନ ବିଲେଇ । ସେହିଭଳି ଏହି ମାମଲାରେ ଅଭିନେତ୍ରୀ ନୋରା ଫତେହିଙ୍କ ନାମ ସାମ୍ନାକୁ ଆସିଛି । ନୋରାଙ୍କୁ ଚନ୍ଦ୍ରଶେଖର ଏକ ଦାମୀ କାର୍ ଉପହାର ଦେଇଥିବା ଜଣାପଡିଛି । ପୂର୍ବରୁ ନୋରାଙ୍କୁ ଇଡି ଜେରା କରିସାରିଛି ।

Leave a Reply

%d bloggers like this: