ମଶାଣି ପାଲଟିଲା ପାର୍କ

crematoriumpark

ମଶାଣି ପାଲଟିଲା ପାର୍କ


ମେଟ୍ରୋ ଟିଭି ବ୍ୟୁରୋ,୨୮/୧୧: ମଶାଣି କହିଲେ ସାଧାରଣତଃ ଲୋକଙ୍କ ମନକୁ ଭୂତ, ପ୍ରେତଙ୍କ କଥା ଆପେ ଆପେ ଚାଲି ଆସିଥାଏ। ଏଠାରେ ସମୟ ବିତାଇବା ତ ଦୂର କଥା, ମଶାଣି ରାସ୍ତା ଦେଇ ଲୋକ ଦିନରେ ବି ଯିବାକୁ ଭୟ କରିଥା’ନ୍ତି। ହେଲେ ନୟାଗଡ଼ ବ୍ଲକ୍ ବିରୁଡ଼ା ପଞ୍ଚାୟତର ବିରୁଡ଼ା ଗ୍ରାମରେ ଏକ ଭିନ୍ନ ଧରଣର ମଶାଣି ଦେଖିବାକୁ ମିଳିଛି। ଦିନ ହେଉ କି ରାତି ଅବା ସନ୍ଧ୍ୟା ହେଉ କି ସକାଳ ସବୁ ସମୟରେ ଏହି ମଶାଣିରେ ପର‌୍ୟ୍ୟଟକଙ୍କ ଭିଡ଼ ଜମୁଛି। ଯେଉଁ ମଶାଣି ନିକଟକୁ ଯିବାକୁ ଶିଶୁଙ୍କୁ ବାରଣ ଥାଏ, ସେଠାକୁ ନିଜର ଅଝଟିଆ ଶିଶୁଙ୍କୁ ଆଣି ପରିବାର ବୁଲାଇ ଆଣୁଛନ୍ତି। ଏହି ମଶାଣିକୁ ଯିଏ ଥରେ ଦେଖୁଛି, ତା’ର ମନ ଲାଖିଯାଉଛି।
ମଶାଣି ମଧ୍ୟରେ ଏହା ସ୍ବର୍ଗପୁରୀ ବୋଲି ପର‌୍ୟ୍ୟଟକ ଆଲୋଚନା କରିଛନ୍ତି। ମଶାଣି ଏକରକମ ପାର୍କର ଭ୍ରମ ସୃଷ୍ଟି କରୁଛି, ଏହାକୁ ଏଭଳି ଢଙ୍ଗରେ ପ୍ରସ୍ତୁତ କରାଯାଇଛି। ମଶାଣି କାନ୍ଥରେ ନୀତିବାଣୀ ଠାରୁ ଆରମ୍ଭ କରି ଯମପୁରୀର କାହାଣୀ ବର୍ଣ୍ଣନା ରହିଛି। ମଶାଣି ମଧ୍ୟରେ ଗଜ ଉଦ୍ଧାରଣ କଥାଠାରୁ ଆରମ୍ଭ କରି ମାର୍କେଣ୍ଡେୟ ଋଷିଙ୍କ କଥା, ଶ୍ରବଣ କୁମାର ପିତାମାତାଙ୍କୁ ବୋହିନେବାର ଦୃଶ୍ୟ, ହରିଶ୍ଚନ୍ଦ୍ରଙ୍କ ମଶାଣି କାହାଣୀ ବର୍ଣ୍ଣନା କରାଯାଇଛି। ଏହାକୁ ଅଭିଜ୍ଞ ଶିଳ୍ପୀଙ୍କ ଦ୍ବାରା ନିର୍ମାଣ ଓ ସ୍ଥାପନା କରାଯାଇଛି। ଇଟା, ବାଲି, ସିମେଣ୍ଟରେ ତିଆରି ପ୍ରତିମୂର୍ତ୍ତିଗୁଡ଼ିକ ସତେ ଯେମିତି କଥା କହୁଛନ୍ତି। ଏଥିସହିତ ମହାତ୍ମା ଗାନ୍ଧୀଙ୍କ ତିନି ମାଙ୍କଡ଼ଙ୍କ କଥା ମଧ୍ୟ ବର୍ଣ୍ଣନା କରାଯାଇଛି। ଯମପୁରୀ, ଯମଦଣ୍ଡର କଥା ବର୍ଣ୍ଣନା ନୀତି ନୈତିକତାର ଶିକ୍ଷା ପ୍ରଦାନ କରୁଛି। ମଶାଣିରେ ବିଶ୍ରାମ ନେବା ପାଇଁ ସ୍ବତନ୍ତ୍ର ଗୃହ, ଟଏଲେଟ୍, ରାତିରେ ମଶାଣିର ସୌନ୍ଦର‌୍ୟ୍ୟ ବଢ଼ାଇବାକୁ ରଙ୍ଗିନ ଆଲୋକମାଳାର ବ୍ୟବସ୍ଥା ରହିଛି। ୨୦୧୯ରୁ ଉକ୍ତ ମଶାଣି ନିର୍ମାଣ କାର‌୍ୟ୍ୟ ଆରମ୍ଭ ହୋଇଥିଲା, ୨୦୨୧ରେ ପ୍ରାୟତଃ କାର‌୍ୟ୍ୟ ଶେଷ ହୋଇଛି। ତଥାପି ଆଉ କିଛି କିଛି ସୌନ୍ଦର‌୍ୟ୍ୟକରଣ କାର‌୍ୟ୍ୟ ଜାରି ରହିଛି । ମଶାଣି ପ୍ରାଚୀରରେ ଲେଖାଥିବା ଆଇ ଲଭ୍ ବିରୁଡ଼ା ସେଲ୍ଫି ପଏଣ୍ଟ୍ରେ ସେଲ୍ଫି ନେବାକୁ ଲୋକଙ୍କ ଭିଡ଼ ଜମୁଛି।

Leave a Reply

%d bloggers like this: