ବ୍ରାହ୍ମଣୀ ନଦୀଗର୍ଭରେ ବିଷ୍ଣୁମୂର୍ତ୍ତି

ବ୍ରାହ୍ମଣୀ ନଦୀଗର୍ଭରେ ବିଷ୍ଣୁମୂର୍ତ୍ତି


ମେଟ୍ରୋ ଟିଭି ବ୍ୟୁରୋ,୨୩/୧୧; ଅନନ୍ତ ଶୟନରେ ଅଛନ୍ତି ସଂସାରର ପାଳନକର୍ତ୍ତା ଭଗବାନ୍ ବିଷ୍ଣୁ । ହାତରେ ଧାରଣ କରିଛନ୍ତି ଶଙ୍ଖ ଚକ୍ର ଗଦା ପଦ୍ମ । ଆଉ ବ୍ରାହ୍ନଣୀ ନଦୀରେ ହଜାର ହଜାର ବର୍ଷ ଧରି ଏହିପରି ଅନନ୍ତ ଶୟନ କରିଛନ୍ତି । ଏହି ବିଷ୍ଣୁମୂର୍ତ୍ତି ୫୧ ଫୁଟ ଲମ୍ବ ଆଉ ୨୩ ଫୁଟ ଓସାରଯୁକ୍ତ । ମସ୍ତକକୁ ଅନନ୍ତ ଶେଷନାଗ ଘେରି ରହିଥିବା ବେଳେ ତୀକ୍ଷ୍ଣ ଥୋଡ଼ ବିଶିଷ୍ଟ ନାକ ଏବଂ ମୁଣ୍ଡରେ ମୁକୁଟ ରହିଛି । ନାଭିରୁ ବାହାରିଥିବା ପଦ୍ମଫୁଲରେ ବ୍ରହ୍ମା ଧ୍ୟାନରେ ବସିଛନ୍ତି। କୁହାଯାଉଛି ସାରା ବିଶ୍ୱରେ ଏମିତିକା ମୂର୍ତ୍ତି କେଉଁଠାରେ ବି ନାହିଁ। ସବୁଠାରୁ ଆଶ୍ଚର୍ଯ୍ୟ କର କଥା ହେଲା, ଲୋକକଥା ରହିଛି ଯେ ଏ ମୂର୍ତ୍ତି କୌଣସି ରାଜା ମହାରାଜା ତିଆରି କରି ନାହାନ୍ତି ବରଂ ଏହା ନଦୀ ବାଲିରେ ଆପଣା ଛାଏଁ ତିଆରି ହୋଇଛି। କିନ୍ତୁ ଏହାର ସତ୍ୟାସତ୍ୟ ସମ୍ପର୍କରେ କେହି ଅବଗତ ନୁହଁନ୍ତି ।
ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ସରାଙ୍ଗ ଗାଁ ସ୍ଥିତ ବ୍ରାହ୍ମଣୀ ନଦୀ ଗର୍ଭରେ ରହିଛି ବିଷ୍ଣୁଙ୍କର ଏହି ବିଶାଳ ମୂର୍ତ୍ତି । ଲୋକେ କହୁଛନ୍ତି ଏ ମୂର୍ତ୍ତିକୁ କେହି ତିଆରି କରିନାହାନ୍ତି । ନବମ ଶତାବ୍ଦୀରେ ଭୌମକର ବଂଶର ରାଜୁତି ସମୟରେ ଏହି ବିଶାଳକାୟ ବିଷ୍ଣୁ ମୂର୍ତ୍ତିଟି ଆପେ ଆପେ ନଦୀର ଜଳସ୍ରୋତ ଯୋଗୁଁ ସୃଷ୍ଟି ହୋଇଥିଲା । ଯାହା ବ୍ରାହ୍ମଣୀ ନଦୀର ଗର୍ଭରେ ବାଲି ଦ୍ୱାରା ପୋତି ହୋଇ ଯାଇଥିଲା । ଆଉ ଦ୍ୱାଦଶ ଶତାବ୍ଦୀରେ ପ୍ରଭୁ ଅନନ୍ତ ଶୟନଙ୍କ ମୂର୍ତ୍ତିଟି ଲୋକଲୋଚନକୁ ଆସିଥିଲା ।
ଏହି ପୀଠ ଢେଙ୍କାନାଳ ଜିଲ୍ଲା ସଦର ମହକୁମା ଠାରୁ ୬୭ କିଲୋମିଟର, ପରଜଙ୍ଗ ଠାରୁ ୧୦ କିଲୋମିଟର, ଅନୁଗୁଳରୁ ୨୩ କିଲୋମିଟର, ତାଳଚେରରୁ ୯ କିଲୋମିଟର ଏବଂ ୧୪୯ ନଂ ଜାତୀୟ ରାଜପଥର ସରାଙ୍ଗ ଗେଟ ନିକଟରୁ ମାତ୍ର ୧୨ ଶହ ମିଟର ଦୂରରେ ଅବସ୍ଥିତ ।ଢେଙ୍କାନାଳ ଜିଲ୍ଲାରେ ଏକାଧିକ ଐତିହ ଭରା ପର୍ଯ୍ୟଟନ କ୍ଷେତ୍ର ରହିଛି। ହେଲେ ସରକାରୀ ଉଦାସୀନତା କାରଣରୁ ଏ ସ୍ଥାନଗୁଡ଼ିକ ବିକଶିତ ହୋଇ ପାରୁନାହିଁ ।

Leave a Reply

%d bloggers like this: