ମରାଠି ଫିଲ୍ମ ଅଭିନେତ୍ରୀ ଈଶ୍ୱରୀ ଦେସପାଣ୍ଡେଙ୍କ କାର୍ ଦୁର୍ଘଟଣାରେ ମୃତ୍ୟୁ

ମରାଠି ଫିଲ୍ମ ଅଭିନେତ୍ରୀ ଈଶ୍ୱରୀ ଦେସପାଣ୍ଡେଙ୍କ କାର୍ ଦୁର୍ଘଟଣାରେ ମୃତ୍ୟୁ


ମେଟ୍ରୋ ଟିଭି ବ୍ୟୁରୋ, ୨୨/୯: ମରାଠୀ ଓ ହିନ୍ଦୀ ଫିଲ୍ମରେ ଅଭିନୟ କରୁଥିବା ଅଭିନେତ୍ରୀ ଈଶ୍ୱରୀ ଦେଶପାଣ୍ଡେଙ୍କ କାର ଦୁର୍ଘଟଣାରେ ମୃତ୍ୟୁ ଘଟିଛି । ସେ ତାଙ୍କ ବନ୍ଧୁ ଶୁଭମ୍ ଦାଗେଙ୍କ ସହ କାରରେ ଯାଉଥିବା ବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ । ଗୋଆରେ ଘଟିଥିବା ଏହି ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଘଟଣାସ୍ଥଳରେ ହିଁ ୨୫ ବର୍ଷୀୟ ଅଭିନେତ୍ରୀ ଈଶ୍ୱରୀ ଓ ତାଙ୍କ ବନ୍ଧୁ ଶୁଭମ୍‌ଙ୍କ ଜୀବନ ଚାଲିଯାଇଥିଲା ।
ମିଡିଆ ରିପୋର୍ଟ ଅନୁଯାୟ. ଈଶ୍ୱରୀ ଓ ଶୁଭମ୍ କୌଣସି କାମ ସାରି କାରରେ ଫେରୁଥିଲେ । ବୁଧବାର ପ୍ରାୟ ଭୋର୍ ୫.୩୦ରେ ସେମାନଙ୍କ କାର୍ ବାରଦେଜ ତାଲୁକା ଅନ୍ତର୍ଗତ ଅରପୋରା ଠାରେ ଥିବା ବାଗ ହ୍ରଦରେ ଖସିପଡିଥିଲା । ସେମାନେ କାରରୁ ବାହାରିବାକୁ ଚେଷ୍ଟା କରିଥିଲେ, କିନ୍ତୁ କାର୍‌ଟି ସେଣ୍ଟ୍ରାଲ ଲକ୍ ହୋଇ ଯାଇଥିବାରୁ ସେମାନେ ଏହା ମଧ୍ୟରେ ଫସି ଯାଇଥିଲେ । ଫଳରେ ପାଣିରେ ବୁଡି ଉଭୟଙ୍କ ମୃତ୍ୟୁ ଘଟିଛି ।
ସୂଚନାରୁ ଜଣାପଡିଛି, ଈଶ୍ୱରୀ ଓ ଶୁଭମ୍ ଆସନ୍ତା ମାସରେ ନିର୍ବନ୍ଧ କରିଥାନ୍ତେ । ଏହା ପୂର୍ବରୁ ସେମାନେ ସେପ୍ଟେମ୍ବର ୧୫ରେ ଗୋଆ ବୁଲିବାକୁ ଯାଇଥିଲେ । ଦୁର୍ଘଟଣା ସମୟରେ ଶୁଭମ୍ କାର୍ ଚଳାଉଥିଲେ । ସେ ହଠାତ୍ କାର୍ ଉପରୁ ନିୟନ୍ତ୍ରଣ ହରାଇବାରୁ ଏହା ସିଧା ନିକଟସ୍ଥ ହ୍ରଦରେ ଖସି ପଡିଥିଲା । ସକାଳ ପ୍ରାୟ ୭ଟା ବେଳେ ଅଗ୍ନିଶମ ବାହିନୀ ଖବର ପାଇ ପାଣି ମଧ୍ୟରୁ କାରଟିକୁ ଊଦ୍ଧାର କରିଥିଲା । ସେଥିରୁ ଈଶ୍ୱରୀ ଓ ଶୁଭମ୍‌ଙ୍କ ମୃତଦେହ ମିଳିଥିଲା ।

Leave a Reply

%d bloggers like this: