ବିଶ୍ୱକର୍ମା ପୂଜା ଉତ୍ସାହରେ ଚଳଚଞ୍ଚଳ ଓଡିଶା

ବିଶ୍ୱକର୍ମା ପୂଜା ଉତ୍ସାହରେ ଚଳଚଞ୍ଚଳ ଓଡିଶା


ମେଟ୍ରୋଟିଭି ବ୍ୟୁରୋ,୧୭/୯: ଆଜି ପବିତ୍ର ବିଶ୍ୱକର୍ମା ପୁଜା । ଦେବଶିଳ୍ପୀ ବିଶ୍ୱକର୍ମା ସମସ୍ତ ଶିଳ୍ପ ଓ ଶିଳ୍ପୀଙ୍କ କୁଳଗୁରୁ । ତାଙ୍କ ପୁଜାକୁ ନେଇ ଓଡିଶାର ପୁରପଲ୍ଲୀ ଚଳଚଞ୍ଚଳ ହୋଇପଡିଛି । ପୂର୍ବ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ କୋଭିଡ୍ କଟକଣା ମଧ୍ୟରେ ଓଡିଶାର ବିଭିନ୍ନ ଶିଳ୍ପ ନଗରୀରେ ବିଶ୍ୱକର୍ମା ପୂଜା ନିରାଡମ୍ବର ଭାବେ ପାଳନ କରାଯାଉଛି । ବିଶେଷ କରି ଶିଳ୍ପାନୁଷ୍ଠାନମାନଙ୍କରେ ବିଶ୍ୱକର୍ମାଙ୍କ ପୂଜା ପାଳନ କରାଯାଉଛି ।

ପୌରାଣିକ କଥାନୁସାରେ, ଭଗବାନ ବିଶ୍ୱକର୍ମା ଦୁନିଆର ପ୍ରଥମ ବାସ୍ତୁକାର । ଭଗବାନ ବ୍ରହ୍ମାଙ୍କ ଆଦେଶରେ ବିଶ୍ୱକର୍ମା ସୃଷ୍ଟି ରଚନା କରିଥିଲେ । ଦେବତାମାନଙ୍କର ସମସ୍ତ ଅସ୍ତ୍ର, ବିମାନ ଆଦି ତାଙ୍କ ଦ୍ୱାରା ନିର୍ମିତ । ସ୍ୱର୍ଗର ଅମରାବତୀ ତାଙ୍କ ନିର୍ମାଣର ଶ୍ରେଷ୍ଠ ନିଦର୍ଶନ । ଏହି ଦିନ ଇଂଜିନିୟରିଂ ଓ ମେସିନ ସହ ଜଡିତ ଲୋକମାନେ ନିଜ ନିଜ ପ୍ରତିଷ୍ଠାନରେ ମେସିନ ପୂଜା କରନ୍ତି । ଏ ଅବସରରେ ବଢେଇ ଓ କାରିଗରମାନେ ନିଜ ନିଜ ନିର୍ମାଣ କାର୍ଯ୍ୟରେ ବ୍ୟବହୃତ ଯନ୍ତ୍ରପାତିକୁ ଶୁଦ୍ଧପୁତ କରି ପୂଜା କରିଥାନ୍ତି । ସେଥିପାଇଁ ବିଶ୍ୱକର୍ମା ପୂଜା ଉପଲକ୍ଷେ ଯାନ୍ତ୍ରିକ କାର୍ଯ୍ୟ ବନ୍ଦ ରହିଥାଏ ।

Leave a Reply

%d bloggers like this: