ଆନ୍ଧ୍ର ଚିଙ୍ଗୁଡ଼ି ଫ୍ୟାକ୍ଟ୍ରିରେ ଅଘଟଣ, ଜଳିଗଲେ ୬ ଓଡ଼ିଆ ଶ୍ରମିକ

ଆନ୍ଧ୍ର ଚିଙ୍ଗୁଡ଼ି ଫ୍ୟାକ୍ଟ୍ରିରେ ଅଘଟଣ ଜଳିଗଲେ ୬ ଓଡ଼ିଆ ଶ୍ରମିକ

ଆନ୍ଧ୍ର ଚିଙ୍ଗୁଡ଼ି ଫ୍ୟାକ୍ଟ୍ରିରେ ଅଘଟଣ
ଜଳିଗଲେ ୬ ଓଡ଼ିଆ ଶ୍ରମିକ
ମେଟ୍ରୋ ଟିଭି ବ୍ୟୁରୋ ଜୁଲାଇ/୩୧ : ଆନ୍ଧ୍ରପ୍ରଦେଶ ଗୁଣ୍ଟୁର ଜିଲ୍ଲା ଲଙ୍କାଭାନିଦିବା ଅଞ୍ଚଳର ଏକ ଚିଙ୍ଗୁଡ଼ି ଫ୍ୟାକ୍ଟ୍ରିରେ ଗତକାଲି ବିଳମ୍ବିତ ରାତିରେ ଅଘଟଣ ଘଟିଛି । ବିଦ୍ୟୁତ୍ ସର୍ଟ ସର୍କିଟ୍ ଯୋଗୁଁ ଅଗ୍ନିକାଣ୍ଡ ଘଟି ୬ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ମୃତକମାନେ ରାୟଗଡ଼ା ଜିଲ୍ଲା ଗୁଣପୁର ବ୍ଲକ୍ ଭୀମପୁର ପଞ୍ଚାୟତ ଝୁମ୍ପାପୁର ଗ୍ରାମର ରାମମୂର୍ତ୍ତି, ଫୁଲମାଟି ଗ୍ରାମର ପାଣ୍ଡବ ଶବର, ମୋହନ ଶବର, କରୁଣାକର ଶବର, ଗୁଣପୁର ସହର ମୋତିଲାଲ ନଗରର ନବୀନ ଶବର ଓ ଗଜପତି ଜିଲ୍ଲା ଜିରାଙ୍ଗ ଗ୍ରାମର ମହେନ୍ଦ୍ର ଶବର ବୋଲି ଜଣାପଡ଼ିଛି । ମୃତକଙ୍କ ମଧ୍ୟରେ ୪ ଜଣ ନାବାଳକ ଥିବା ସୂଚନା ମିଳିଛି । ଗୁଣ୍ଟୁର ପୋଲିସ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଗୁଣ୍ଟୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରଖିଛି ।
ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିବା ସହିତ ପ୍ରତି ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଦେବାକୁ ଘୋଷଣା କରିଛନ୍ତି । ସୂଚନା ମୁତାବକ ଶ୍ରମିକମାନେ ଶୋଇଥିବା କୋଠରିରେ କେମିକାଲ୍ ଥିବାରୁ ନିଆଁ ଉଗ୍ର ରୂପ ଧାରଣ କରିଥିଲା । ଫଳରେ ନିଆଁ ଧାସ ଭିତରୁ ଶ୍ରମିକମାନେ ବାହାରି ନପାରି ଶୋଇଥିବା ଅବସ୍ଥାରେ ହିଁ ପୋଡ଼ି ମୃତ୍ୟୁବରଣ କରିଛନ୍ତି । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଗୁଣୁପୁର ବିଧାୟକ ରଘୁନାଥ ଗମାଙ୍ଗ ପରିସ୍ଥିତି ଅନୁଧ୍ୟାନ କରିବା ପାଇଁ ଗୁଣ୍ଟୁର ଯାଇଥିବା ଜଣାପଡ଼ିଛି ।

Leave a Reply

%d bloggers like this: