ଆଜିଠୁ ଖୋଲିବ ସ୍କୁଲ

ଆଜିଠୁ ଖୋଲିବ ସ୍କୁଲ

ଆଜିଠୁ ଖୋଲିବ ସ୍କୁଲ
ମେଟ୍ରୋ ଟିଭି ବ୍ୟୁରୋ ଜୁଲାଇ/୨୬ : ସୋମବାରଠାରୁ ରାଜ୍ୟରେ ସମସ୍ତ ସ୍କୁଲ ଖୋଲିବ । ପ୍ରଥମ ପର୍ଯ୍ୟାୟରେ ଦଶମ ଓ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ କ୍ଲାସରୁମ୍ ପାଠପଢ଼ା ହେବାକୁ ଥିବାରୁ ସବୁ ସ୍ତରରେ ପ୍ରସ୍ତୁତି ଶେଷ ହୋଇଛି । ସକାଳ ୧୦ଟାରୁ କ୍ଲାସ୍ ଆରମ୍ଭ ହେବାକୁ ଥିବାରୁ ପ୍ରଥମ ଦିନ ଏହାର ଏକ ଘଂଟା ପୂର୍ବରୁ ଶିକ୍ଷକ ଶିକ୍ଷୟତ୍ରୀ ବିଦ୍ୟାଳୟରେ ପହଂଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । ପିଲାମାନେ ବିଦ୍ୟାଳୟ ପ୍ରବେଶ ସମୟରେ ଯେପରି ସାମାଜିକ ଦୂରତା ବଜାୟ ରଖିବେ, ପ୍ରଧାନଶିକ୍ଷକମାନେ ଏଥିପ୍ରତି ଗୁରୁତ୍ୱ ଦେବାକୁ କୁହାଯାଇଛି ।
ସୂଚନାନୁସାରେ, ବିଦ୍ୟାଳୟମାନଙ୍କରେ ସାମାଜିକ ଦୂରତା ଓ ମାସ୍କକୁ ବାଧ୍ୟତାମୂଳକ କରାଯାଇଛି । କୋଭିଡ-୧୯ ପାଇଁ ହେଲପ୍ ଲାଇନ ନମ୍ବରକୁ କ୍ୟାମ୍ପସରେ ପ୍ରଦର୍ଶିତ କରିବେ । ପ୍ରତି ସ୍କୁଲରେ ଆଇସୋଲେସନ ରୁମ୍ ଖୋଲାଯିବା ସଙ୍ଗେ ସଙ୍ଗେ କୋଭିଡ ମନିଟରିଙ୍ଗ୍ ଟିମ୍ ଗଠନ କରାଯିବ । ସ୍କୁଲ ଖୋଲିବାର ୩୦ ମିନିଟ୍ ଆଗରୁ ଓ ବନ୍ଦ ହେବାର ୩୦ ମିନିଟ୍ ପର୍ଯ୍ୟନ୍ତ ଟିମର ସଦସ୍ୟମାନେ ସ୍କୁଲରେ ଉପସ୍ଥିତ ରହି ତଦାରଖ କରିବେ । ପୂର୍ବପରି ଅନଲାଇନରେ ପାଠପଢ଼ା ଚାଲିବ । ଯେଉଁ ଛାତ୍ରଛାତ୍ରୀ ଚାହିଁବେ ଅନଲାଇନ କିମ୍ବା ଶ୍ରେଣୀଗୃହରେ ପାଠପଢ଼ି ପାରିବେ ।ଶିକ୍ଷାନୁଷ୍ଠାନ ଆସିବାକୁ ଛାତ୍ରଛାତ୍ରୀମାନଙ୍କୁ ବାଧ୍ୟ କରାଯିବନାହିଁ ।
ବିଦ୍ୟାଳୟର ହଷ୍ଟେଲଗୁଡ଼ିକ ମଧ୍ୟ ଆଜିଠାରୁ ଖୋଲିବ । ହଷ୍ଟେଲବାସୀଙ୍କ ମଧ୍ୟରେ ସାମାଜିକ ଦୂରତା, ନିୟମିତ ବ୍ୟବଧାନରେ ହଷ୍ଟେଲ ମେସ୍‌, ଶୈାଚାଳୟ ଓ ସମସ୍ତେ ଚଳପ୍ରଚଳ କରୁଥିବା ଅଂଚଳକୁ ବିଶୋଧନ କରିବାକୁ କୁହାଯାଇଛି । ହଷ୍ଟେଲରେ ରହିବା ପୂର୍ବରୁ ଅଭିଭାବକଙ୍କ ଅନୁମତି ଆବଶ୍ୟକ । ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ କହିଛନ୍ତି ଯେ ଦଶମ ଓ ଦ୍ୱାଦଶ ଶ୍ରେଣୀ ଖୋଲିବା ପାଇଁ ସମସ୍ତ ପ୍ରସ୍ତୁତି ସରିଛି ।

Leave a Reply

%d bloggers like this: