ଭୂଷଣ କୁମାରଙ୍କ ନାଁରେ ବଳାତ୍କାର ଅଭିଯୋଗ, ମୁମ୍ବାଇ ଡି.ଏନ୍ ନଗର ଥାନାରେ ଏତଲା

ଭୂଷଣ କୁମାରଙ୍କ ନାଁରେ ବଳାତ୍କାର ଅଭିଯୋଗ
ମୁମ୍ବାଇ ଡି.ଏନ୍ ନଗର ଥାନାରେ ଏତଲା


ମେଟ୍ରୋ ଟିଭି ବ୍ୟୁରୋ/ଜୁଲାଇ ୧୯ : ଦେଶର ଲୋକପ୍ରିୟ ମୁଜ୍ୟିକ କମ୍ପାନୀ ଟି-ସିରିଜର ମ୍ୟାନେଜିଙ୍ଗ ଡିରେକ୍ଟର ଭୂଷଣ କୁମାରଙ୍କ ନାଁରେ ଜଣେ ମହିଳା ବଳାତ୍କାର ଅଭିଯୋଗ ଆଣିଛନ୍ତି । ଏହି ଅଭିଯୋଗକୁ ଆଧାର କରି ମୁମ୍ବାଇର ଡି.ଏନ୍ ନଗର ଥାନାରେ ବଳାତ୍କାର ମାମଲା ରୁଜ୍ଜୁ ହୋଇଛି । ୩୦ ବର୍ଷୀୟ ମହିଳା କୁମାରଙ୍କ ବିରୁଦ୍ଧରେ ବଳାତ୍କାର ଭଳି ସଙ୍ଗୀନ ଅଭିଯୋଗ ଆଣିବା ପରେ ସଙ୍ଗୀତ ଦୁନିଆରେ ହଇଚଇ ସୃଷ୍ଟି ହୋଇଛି । ମହିଳାଙ୍କ କହିବାନୁସାରେ କୁମାର ତାଙ୍କୁ କାମ ଦେବା ବାହାନାରେ ଭିନ୍ନ ଭିନ୍ନ ଜାଗାକୁ ନେଇ ୩ ଥର ଦୁଷ୍କର୍ମ କରିଥିଲେ । ୨୦୧୭ରୁ ଅଗଷ୍ଟ ୨୦୨୦ ଯାଏ ମହିଳାଙ୍କ ସାଙ୍ଗରେ ଏଭଳି ଅମାନୁଷିକ କାର୍ଯ୍ୟ କରିଥିବା ସେ କହିଛନ୍ତି । ଏଥିସହ ଘଟଣା ସମ୍ପର୍କରେ କାହାକୁ ନ କହିବାକୁ ମଧ୍ୟ ସେ ଧମକଚମକ ଦେଇଥିବା ମହିଳା ଜଣକ ଅଭିଯୋଗ ଆଣିଛନ୍ତି । ଏନେଇ ମୁମ୍ବାଇ ପୋଲିସ ଭୂଷଣ କୁମାରଙ୍କ ବିରୁଦ୍ଧରେ ଧାରା ୩୭୬, ୪୨୦ ଓ ୫୦୬ ମାମଲା ରୁଜ୍ଜୁ କରି ତଦନ୍ତ ଆରମ୍ଭ କରିଛି ।
ମ୍ୟୁଜିକ କମ୍ପାନୀ ଟି-ସିରିଜର ଅନେକ ଲୋକପ୍ରିୟତା ରହିଛି । ଏହି କମ୍ପାନୀ ମ୍ୟୁଜିକ ଇଣ୍ଡଷ୍ଟ୍ରି ଦୁନିଆରେ ନିଜ ଶ୍ରୋତାମାନଙ୍କୁ ଅନେକ ହିଟ୍ ଗୀତ ସହିତ ମ୍ୟୁଜିକ ଭିଡିଓ ଭେଟିଦେଇଛି । ଏ ମ୍ୟୁଜିକ କମ୍ପାନୀର ଅନେକ ଭିଡିଓକୁ ଦର୍ଶକମାନେ ପସନ୍ଦ ମଧ୍ୟ କରିଥାନ୍ତି । ସ୍ୱର୍ଗତ ଗୁଲଶନ କୁମାର କମ୍ପାନୀ ଟି-ସିରିଜର ଏମ୍‌.ଡି ହେଉଛନ୍ତି ତାଙ୍କ ପୁଅ ଭୂଷଣ କୁମାର । ଏମିତି ଏକ ସଫଳ ମ୍ୟୁଜିକ କମ୍ପାନୀ ମାଲିକଙ୍କ ନାଁରେ ଏଭଳି ଅଭିଯୋଗ ଆସିବା ବଡ଼ ଆଶ୍ଚର୍ଯ୍ୟର କଥା । ମାତ୍ର ଏହା ପ୍ରଥମ ନୁହଁ ଏହା ପୂର୍ବରୁ ମଧ୍ୟ ଭୂଷଣଙ୍କ ନାଁରେ ମି-ଠୁ ଜରିଆରେ ଜଣେ ମଡେଲ ଯୌନଶୋଷଣର ଅଭିଯୋଗ ଆଣିଥିଲେ । କିନ୍ତୁ ଏ ବାବଦରେ ମିଡିଆ ଆଗରେ ଭୂଷଣ କିଛି ମତ ରଖିନଥିଲେ । ତାଙ୍କ ନାଁରେ ଏପରି ଅଭିଯୋଗ ଆସିବା ପରେ ଭୂଷଣଙ୍କ ପତ୍ନୀ ତଥା ଅଭିନେତ୍ରୀ ଦିବ୍ୟା ଖୋସ୍ଲା ମଧ୍ୟ ନିରବ ରହିଛନ୍ତି । ତେବେ ଅନ୍ୟପକ୍ଷରେ ଭୂଷଣ ତାଙ୍କ ଉପରେ ଆସିଥିବା ଅଭିଯୋଗକୁ ଖଣ୍ଡନ କରିବା ସହ ଏହା ମିଛ ବୋଲି କହିଛନ୍ତି ।

Leave a Reply

%d bloggers like this: